ଉଦଘାଟିତ ହେଲା ଦ୍ବି-ଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀ: ଯୋଗ ଦେଲେ ୫୯ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗବେଷକ

କୁଳପତି କହିଲେ, “ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ଦରକାର”

ବାଲେଶ୍ଵର, ୨୦/୦୧ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକ ପରିଷଦ ପରିସରରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦଘାଟିତ ହୋଇଯାଇଛି।

ଆଜିର ପ୍ରାରମ୍ଭିକ ସଭା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ସମ୍ମିଳନୀର ମୁଖ୍ଯ ପ୍ରସଙ୍ଗ ‘ନ୍ୟାଭିଗେଟିଙ୍ଗ୍ ଇନକ୍ଲୁସିଭ୍ ଏଜୁକେସନ୍ : ବ୍ରିଜିଙ୍ଗ୍ ଦ ଡିଭାଇଡ୍ ଆଣ୍ଡ୍ ଏମ୍ପାଓ୍ଵାରିଙ୍ଗ୍ ଏଭ୍ରି ଲର୍ଣ୍ଣର୍’ ବା
‘ଅନ୍ତର୍ନିବେଶୀ ଶିକ୍ଷା ପରିଚାଳନା: ଭିନ୍ନତା ସଂଯୋଜନ ଏବଂ ଶିକ୍ଷାର୍ଥୀ ସଶକ୍ତୀକରଣ’ ରହିଛି।

ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ସମେତ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ, ଭୁବନେଶ୍ୱରର ପ୍ରଫେସର ହୃଷୀକେଶ ସେନାପତି, ସ୍କୁଲ ଅଫ ଏଜୁକେସନ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ , ନୂଆଦିଲ୍ଲୀର ପ୍ରଫେସର ଅରବିନ୍ଦ କୁମାର ଝା, , ନ୍ୟୁକ୍ଲିୟସ୍ ୟୁନିଭରସିଟି ଅଫ୍ ମେଡିସିନ୍ ଏବଂ ଦନ୍ତ ଚିକିତ୍ସା, ରଞ୍ଜେଷ୍ଟାଡ୍, ଆରୁବା, କାନାଡାର ବରିଷ୍ଠ ପରାମର୍ଶଦାତା ଡକ୍ଟର ଦିଲ୍ଲୀପ ଗିରି ମୁଖ୍ଯବକ୍ତା ତଥା ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ କାର୍ଟିନ୍ ବିଶ୍ୱବିଦ୍ୟାଳୟ, ପର୍ଥ, ପଶ୍ଚିମ ଅଷ୍ଟ୍ରେଲିଆର ସହଯୋଗୀ ପ୍ରଫେସର ଡ଼କ୍ଟର ରେଖା ଭାନକୌଲ ଆଭାସୀ ମାଧ୍ଯମରେ ଯୋଗଦେଇ ‘ଅନ୍ତର୍ନିବେଶୀ ଏବଂ ଉଚ୍ଚଶିକ୍ଷା’ ସମ୍ବନ୍ଧିତ ଆଲୋଚନା କରିଥିଲେ।
ସମସ୍ତଙ୍କ ପାଇଁ ଜୀବନଯାପନର କୌଶଳଗୁଡିକୁ ପ୍ରୋତ୍ସାହିତ କରିବା, ଜାତୀୟ ଶିକ୍ଷା ନୀତିର ଦୃଷ୍ଟିକୋଣକୁ ବୁଝି କାର୍ଯ୍ୟକ୍ଷମ କରିବା, ଜାତି, ଲିଙ୍ଗ, ତଥା ଆର୍ଥିକ ଭିନ୍ନତାକୁ ଧ୍ୟାନ ନଦେଇ ସମସ୍ତଙ୍କୁ ମୌଳିକ ଅଂଶଗ୍ରହଣ କରିବାର ସୁଯୋଗ ଦେବା ଏବଂ ଶିକ୍ଷଣ ଓ ନିରପେକ୍ଷ ସାମାଜିକ ସୀମାକୁ ଅନ୍ତର୍ଭୁକ୍ତ କରିବା , ପ୍ରଗତିଶୀଳ ଅନ୍ତର୍ଭୂକ୍ତିକରଣକୁ ଦାୟିତ୍ବ ଭାବେ ଗ୍ରହଣ କରିବା, କୌଣସି କାଳ୍ପନିକ ଧାରଣା ବିନା ଶିକ୍ଷାକୁ ସାର୍ବଜନୀକ ହିତ ସାଧନ କାର୍ଯ୍ୟରେ ଲଗାଇବା ଆଦି ଅନେକ ମୂଲ୍ୟବାନ ପ୍ରସଙ୍ଗମାନ କୁଳପତି ପ୍ରଫେସର ତ୍ରିପାଠୀ ଓ ଅନ୍ଯ ଅତିଥିମାନଙ୍କ ଦ୍ବାରା ଆଲୋକପାତ କରାଯାଇଥିଲା। ଉପସ୍ଥିତ ସଂସାଧନ ବ୍ୟକ୍ତି ବିଶେଷଜ୍ଞମାନଙ୍କ ସହଯୋଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀର ପ୍ରଥମ ଦିନରେ ‘ଇନକ୍ଲୁସିଭ ଏଜୁକେସନ’ ସମ୍ବନ୍ଧିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ୫୯ ଜଣ ଗବେଷକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ତଥ୍ଯକୁ ଉପସ୍ଥାପନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଶିକ୍ଷାବିତ୍, ଗବେଷଣାରତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସହ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ମୁଖ୍ଯ, ଅଣଶିକ୍ଷକ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ଶିକ୍ଷା ବିଭାଗର ମୁଖ୍ଯ ଆସୋସିଏଟ ପ୍ରଫେସର ଡ଼କ୍ଟର ଜ୍ୟୋତି ଶଂକର ପ୍ରଧାନ , ସାଂଗଠନିକ ସଂପାଦକ ଡ଼କ୍ଟର ଅମୂଲ୍ଯ କୁମାର ଆଚାର୍ଯ୍ଯ ଉପସ୍ଥିତ ରହି ସମ୍ମିଳନୀର ପର୍ଯ୍ୟବେକ୍ଷଣ କରିଥିଲେ। ସମ୍ମିଳନୀକୁ ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ପ୍ରତିମା ପ୍ରଧାନ ସଂଚାଳନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

Comments
Loading...