ଅଧା ରହିଗଲା ଦ୍ୱିତୀୟ କୋଣାର୍କର ସ୍ବପ୍ନ ; ଚାଲିଗଲେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ

ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ପରଲୋକ ଘଟିଛି। କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ। ରବିବାର ଅପରାହ୍ଣରେ ୭୮ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ରଘୁନାଥ ମହାପାତ୍ରଙ୍କ ପରଲୋକ ସହ ଦ୍ୱିତୀୟ କୋଣାର୍କର ସ୍ବପ୍ନ ଅଧା ରହିଯାଇଛି।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୧୪ ତାରିଖରେ ଯେଉଁ ୪ ଜଣ ପ୍ରତିଭାଧରଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ତଥା ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ ଓ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଓଡ଼ିଶାରୁ କେହି ରାଜ୍ୟସଭାକୁ ମନୋନୀତ ହେବା ଏହା ପ୍ରଥମ ଘଟଣା।

ପୁରୀର ଶ୍ରୀମନ୍ଦିର ଭଳି ବାଲେଶ୍ୱରରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିବା ବିଖ୍ୟାତ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଆଉ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି। ଏହି ନୂତନ ମନ୍ଦିରିର ନାମ ହେବ ଆଦିତ୍ୟ ନାରାୟଣ ମନ୍ଦିର। ଅବିକଳ କୋଣାର୍କ ଭଳି ଦେଖାଯାଉଥିବା ମନ୍ଦିର ନିର୍ମାଣ କରିବା ନେଇ ତାଙ୍କର ପରିକଳ୍ପନା ସାକାର ରୂପ ନେବାକୁ ଯାଉଛି। ସାକ୍ଷୀଗୋପାଳରେ ଏହି ଆଦିତ୍ୟ ନାରାୟଣ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମ୍ପନ୍ନ ହୋଇଛି। ଶ୍ରୀ ମହାପାତ୍ର କହିଛନ୍ତି ଏହା ଏଭଳି ଏକ ଐତିହ୍ୟ ହେବ, ବିଶ୍ୱର ପର୍ଯ୍ୟଟକମାନେ ଏହାକୁ ନ ଦେଖି ରହି ପାରିବେ ନାହିଁ। ଶ୍ରୀ ମହାପାତ୍ର କହନ୍ତି କି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କେବଳ ରଥଯାତ୍ରାରେ ହିଁ ୧୫ ଲକ୍ଷରୁ ଅଧିକ ଲୋକ ପୁରୀ ଆସି ଥାଆନ୍ତି। ଏହି ମନ୍ଦିରର ନିର୍ମାଣ ଶେଷ ହେବା ପରେ ସେହି ସଂଖ୍ୟା କେତେ ବଢିଯିବ ତାହା କହି ହେବ ନାହିଁ। ମହାପ୍ରଭୁଙ୍କ ଇଛା ଅଛି, ମନ୍ଦିର ନିର୍ମାଣ ଆରମ୍ଭ ହେବ ତ ଶେଷ ହିଁ ହେବ।

ତାଙ୍କର କଳା ହେଉଛି ଇଶ୍ୱରୀୟ ଚମତ୍କାର। ୧୯୪୩ ମସିହା ୨୩ ମାର୍ଚ୍ଚରେ ପୁରୀରେ ଜନ୍ମିତ ରଘୁନାଥ ମହାପାତ୍ର ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଛନ୍ତି । ପରେ ମୂର୍ତ୍ତି ତିଆରି କରୁଥିବା ନିଜ ଅଜାଙ୍କ ପାଖକୁ ଚାଲି ଆସିଥିଲେ। ୧୯୭୬ରେ ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲୀ ଅହମ୍ମଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପୁଣି ୨୦୦୧ରେ ପଦ୍ମଭୂଷଣ ଏବଂ ୨୦୧୩ରେ ଶ୍ରୀ ମହାପାତ୍ର ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ। ୨୦୦୦ରେ ତାଙ୍କୁ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ସଦସ୍ୟ ଭାବେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ମନୋନିତ କରାଯାଇଥିଲା। ସେ ଜଣେ ବରିଷ୍ଠ ପ୍ରଶିକ୍ଷକ ଏବଂ ହସ୍ତଶିଳ୍ପ ପ୍ରଶିକ୍ଷକ ଏବଂ ଡିଜାଇନ କେନ୍ଦ୍ରର ଅଧୀକ୍ଷକ ଭାବେ ଓଡ଼ିଶା ସରକାରଙ୍କ ଅଧିନରେ ୧୯୬୩ରୁ କାର୍ଯ୍ୟ କରିଛନ୍ତି। ଏହି ସମୟରେ ମୂର୍ତ୍ତିକଳା ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

Comments
Loading...