ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ, ବର୍ଷା ପୁର୍ବରୁ ନାଳ ନର୍ଦ୍ଦମା ସଫେଇ ନିମନ୍ତେ ନିର୍ଦ୍ଦେଶ


ଗଞ୍ଜାମ (କୋଶଲ ନ୍ୟୁଜ) ଛତ୍ରପୁର ୧୨/୬ ; ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୮ ଓ ୧୯ ତାରିଖ ଦିନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହେବ । ଏହାର ପରିଚାଳନା କରିବା ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ଜଣାଇଥିଲେ ଯେ, ଜିଲ୍ଲାରେ ନିର୍ବାଚନ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇସାରିଛି । ସମସ୍ତ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ରହି ଠିକ୍ ପରିଚାଳନା କରିଥିଲେ । ବର୍ତ୍ତମାନ ସମସ୍ତଙ୍କୁ ସରକାରି କାର୍ଯ୍ୟରେ ମନ ନିବେଶ କରିବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବରେ ଗଞ୍ଜାମ ଜିଲ୍ଲା ସବୁ ସମୟରେ ବିପର୍ଯ୍ୟୟର ମୁକାବିଲା କରି ଜନଜୀବନ ସୁରକ୍ଷା ଦେଇ ଆସୁଛି । ବିପର୍ଯ୍ୟୟ କେତେବେଳେ ଆସିବ କେହି କହିପାରିବେ ନାହିଁ କିନ୍ତୁ ପୁର୍ବ ସୂଚନା ପାଇବା ପରେ ଯଦି ସେଗୁଡିକର ପରିଚାଳନା ସଠିକ୍ କରିବା ତେବେ ବିପର୍ଯ୍ୟୟର ମୁକାବିଲା କରିପାରିବା । ଏହି ବିପର୍ଯ୍ୟୟର ମୁକାବିଲା ଦିଗରେ ଆମ୍ଭ ମାନଙ୍କୁ ପୂର୍ବ ପ୍ରସ୍ତୁତି କରିବାର ଅଛି । ଯଦି, ସଠିକ୍ ପ୍ରସ୍ତୁତି ଥିବ ଏବଂ ମୁକାବିଲା ଦିଗରେ ଆମେ ପୁର୍ବରୁ ପ୍ରଶିକ୍ଷଣ ନେଇଥିବା ତେବେ ବିପର୍ଯ୍ୟୟର ମୁକାବିଲା ସହଜସାଧ୍ୟ ହେବ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ତଥା ଡେପୁଟି କଲେକ୍ଟର ଆୟୁଷି ପତି ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟ ଖସଡା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ । ଆଗକୁ ବର୍ଷା ଦିନ ଆସିବାର ଅଛି, ସମ୍ଭାବ୍ୟ ବିପର୍ଯ୍ୟୟ ଗୁଡିକର ମୁକାବିଲା କରିବା ଦିଗରେ ଆମ ମାନଙ୍କ ପାଖରେ ରହିଥିବା ସମ୍ବଳ ଗୁଡିକ କିପରି ଉପ ଯୋଗୀ କରିବା ସେ ସମ୍ପର୍କରେ ପ୍ରସ୍ତୁତି ଅଭ୍ୟାସ ବା ମକଡ୍ରିଲ କରିବା ଜରୁରୀ । ପ୍ରସ୍ତୁତି ଅଭ୍ୟାସର ସଠିକ୍ ପରିଚାଳନା କରିବା ନିମନ୍ତେ ଚଳିତ ମାସ ୧୮ ଓ ୧୯ ତାରିଖ ଦିନ ପ୍ରତି ବର୍ଷ ପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଭ୍ଯାସ କରାଯିବ । ଆମ ଗହଣରେ ରହିଥିବା ମାନବ ସମ୍ବଳର ଉପଯୋଗ, ଗଚ୍ଛିତ ଥିବା ଯନ୍ତ୍ରାଂଶର ବ୍ୟବହାର, ଜନସାଧାରଣଙ୍କ ବହୁମୁଲ୍ୟ ଜୀବନ ଓ ପଶୁ ସମ୍ପଦର ସୁରକ୍ଷା ନିମନ୍ତେ ରହିଥିବା କୋଠାବାଡିର ଉପଯୋଗ ଇତ୍ୟାଦି କିଭଳି କରିବା ସେଗୁଡିକର ପ୍ରଶିକ୍ଷଣ ଏହି ଦୁଇଦିନ ଅନୁଷ୍ଠିତ ହେବ । ବନ୍ୟା ,ବାତ୍ୟା, ବିଜୁଳି, ପାଣିରେ ବୁଡିଯିବା, ସାପ କାମୁଡିବା ଇତ୍ୟାଦି ବିପର୍ଯ୍ୟୟର ମୁକାବିଲା ସକାଶେ ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ୟ । ତେବେ ଯାଇ ଆମେ ସୁରକ୍ଷିତ ରହିବା ଏବଂ ଅନ୍ୟ ଜୀବନକୁ ମଧ୍ୟ ସୁରକ୍ଷା ଦେଇପାରିବା । ଓଡିଶାର ମୟୁରଭଞ୍ଜ ଜିଲ୍ଲାକୁ ବହୁଳ ବିଜୁଳି ମାଡ ହେଉଥିବା ସ୍ଥଳେ ତାହା ପ୍ରଥମ ସ୍ଥାନରେ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ୟୁନିସ୍କୋ ତରଫରୁ କରାଯାଇଥିବା ଆକଳନ ଅନୁସାରେ ଓଡିଶାର ୬ ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ସୁନାମୀ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକ ଗୁଡିକରେ ୩୪ ପ୍ରକାର ଉପକରଣ ରହିଛି । ସେହି ସମସ୍ତ ଉପକରଣ ଗୁଡିକର ବ୍ୟବହାର ଉପଯୋଗୀ କରିବା ସହିତ ପୂର୍ବରୁ ସଜାଡି ରଖିବାର ଆବଶ୍ୟକତା ରହିଛି । ଏହି ପୂର୍ବ ଅଭ୍ୟାସ ମକ ଡ୍ରିଲ କରାଯିବ । ପୂର୍ବ ପ୍ରସ୍ତୁତି ସକାଶେ ଷ୍ଟାଫ୍, ଉପକରଣ, ରହିଥିବା କୋଠାଗୃହ, ଗୋଦାମ ଗୃହ ଏବଂ କଲ୍ୟାଣ ମଣ୍ଡପ ଇତ୍ୟାଦିର ତଥ୍ୟ ନିର୍ଦ୍ଧାରିତ ଫର୍ମ ଜରିଆରେ ଦାଖଲ କରିବାକୁ କୁହାଯାଇଛି । ଆଗକୁ ବର୍ଷା ଆସୁଥିବା ହେତୁ ରହିଥିବା ନାଳ, ନର୍ଦ୍ଦମା ଗୁଡିକର ସଫେଇ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଉପସ୍ଥିତ ଥିବା ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଭବାନୀ ଶଙ୍କର ମିଶ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓସଡେମାର ଅଧିକାରୀ, ସମସ୍ତ ସଂପୃକ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀର ସଭାପତି, ସମ୍ପାଦକ ଏବଂ ସ୍ଥାନୀୟ ସରପଞ୍ଚ ଗଣ ଉପସ୍ଥିତ ଥିଲେ ।

ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀ

Comments
Loading...