ଜୀବନକୁ ବାଜି ଲଗାଇ ନଉକା ଯାତ୍ରା କରୁଛନ୍ତି ଲୋକେ

ମାଲକାନଗିରି ( କୋଶଲ ନ୍ୟୁଜ୍) ବିପଦ ସଙ୍କୁଳ ଅବସ୍ଥାରେ ଦେଶୀ ଡ଼ଙ୍ଗା ସାହାଯ୍ୟରେ ନଦୀ ପାର ହେଉଛନ୍ତି ଲୋକେ l ଦୈନଦିନ ଯାତାୟତ କରିବା ପାଇଁ କନ୍ୟାଶ୍ରମ ପୋଲ ବ୍ୟତୀତ ଏହି ସୀମାରେ ଆଉ କୌଣସି ପୋଲ ନାହିଁ l ବାଧ୍ୟ୍ୟ ହେଇ ସ୍ଥାନୀୟ ଲୋକ ଦେଶୀ ଡଙ୍ଗାର ସାହାଯ୍ୟ ନେଉଛନ୍ତି l ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଳକ ସୀମା କୁ ଭାଗ କରୁଥିବା ପୋଟେରୁ ନଦୀର ଏକାଧିକ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ନାନା ସମସ୍ୟା ଲାଗି ରହିଥିବା ଦେଖିବାକୁ ମିଳିଛି।ମୁଖତଃ ପଡିଆ ବ୍ଳକର ଶିମିଳିବାଞ୍ଛା, ଗିରିକାନପଲ୍ଲୀ ଓ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମବାସୀ ନଦୀ ଆରପଟେ ଥିବା କାଲିମେଳା ବ୍ଳକର ତାଣ୍ଡବାଈ,ଭୁବନପଲ୍ଲୀ, ଟିଗଲ, ନାଲାଗୁଣ୍ଠି ଆଦି ଗ୍ରାମ ପଞ୍ଚାୟତ ସହ ସ୍ୱାସ୍ଥ୍ୟଗତ, ବ୍ୟବସାୟିକ ତଥା ସାମାଜିକ ସମ୍ପର୍କ କରିଛନ୍ତି।

ଏମପିଭି ୬୯ ଗାଁ ନିକଟସ୍ଥ ଡଙ୍ଗା ଘାଟ ରେ ଥିବା ଦେଶୀ ଡଙ୍ଗା ଭାଙ୍ଗିଯାଇଥିବା ବେଳେ ଡଙ୍ଗା ଚାଳକ ଜଣକ ଡଙ୍ଗା ର ଗୋଟିଏ ପାର୍ଶ୍ଵରେ ପଥର ଓ ଅନ୍ୟ ପାର୍ଶ୍ଵରେ ପଟ୍ଟା ବାନ୍ଧି ଡଙ୍ଗା କୁ ସମତୁଲ କରି ଚଳାଉଥିବା ଦେଖିବାକୁ ମିଳିଛି । ଏଭଳି ଭଙ୍ଗା ଦଦରା ଡଙ୍ଗା ରେ ଦୈନିକ ଶହ ଶହ ଲୋକ ଓ ମୋଟର ସାଇକଲ ପାର କରାଯାଉଥିବା ବେଳେ ପ୍ରଶାସନ କୁ ଏ ନେଇ ବାରମ୍ଵାର ଅବଗତ କରାଯାଉଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଡଙ୍ଗା ଚାଳକ କହିଛନ୍ତି। ଉପାୟ ଶୂନ୍ୟ ହୋଇ ଲୋକେ ଏଭଳି ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ପ୍ରଶାସନ ପକ୍ଷରୁ ଏମପିଭି ୬୯ ନମ୍ବର ଡଙ୍ଗା ଘାଟରେ ଥିବା ଡଙ୍ଗାର ମରାମତି ସହ ତୁରନ୍ତ ପୋଲ ନିର୍ମାଣ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଉଥିବା ଦେଖିବାକୁ ମିଳିଛି ।

Comments
Loading...