ଖପ୍ରାଖୋଲ ତୁରେକେଲା ବ୍ଲକ ଅଞ୍ଚଳ ରେ ଚାଲିଛି ଅସଂଖ୍ୟ ବେଆଇନ ଇଟାଭାଟି

ଖପ୍ରାଖୋଲ, ତୁରେକେଲା ବ୍ଲକ ଅଞ୍ଚଳ ରେ ଛତୁ ଫୁଟିବା ଭଳି ଅସଂଖ୍ୟ ବେଆଇନ ଇଟାଭାଟି ସବୁ ଚାଲିଛି। ଆଇନ୍ କାନୁନ୍ କୁ ବେଖାତିର୍ କରି ଇଟାଭାଟି ସବୁ ଖୋଲି ମାଲେମାଲ୍ ହେଉଛନ୍ତି। ଇଟାଭାଟି ଗୁଡିକ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ଅନ୍ୟ ପଟେ ରାଜସ୍ବ ବିଭାଗ ଏବଂ ବନବିଭାଗ ସବୁ ଜାଣି ନଜାଣିବା ଭଳି ଅଭିନୟ କରୁଛନ୍ତି। ଇଟାଭାଟି ମାଲିକ ମାନେ ମଧ୍ୟ ବହୁତ ଚତୁର ହୋଇଗଲେଣି ଲକ୍ଷ ଲକ୍ଷ ଟଙ୍କା ର ଇଟା ବିକ୍ରି କରୁଛନ୍ତି ପଚାରିଲେ ଏହା ଆବାସ ଯୋଜନା ରେ ଘର ତିଆରି ପାଇଁ ଇଟା ପ୍ରସ୍ତୁତ କରୁଛୁ ବୋଲି କହୁଛନ୍ତି। ଇଟାଭାଟି ବାଲାଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେମାନେ କୁହନ୍ତି ଆମେ ଚାଲାଣ ପଇସା ବନବିଭାଗ ର କର୍ମଚାରୀଙ୍କୁ ଦେଇଛୁ କିନ୍ତୁ ଗୋଟିଏ ମାସ ହେଇଯାଇଥିଲେ ମଧ୍ୟ ସେମାନେ ଆମକୁ ରସିଦ୍ ଦେଉନାହାନ୍ତି।ରସିଦ୍ ପାଇଁ କହିଲେ ଆଜି ଆଣିଦେବୁ କାଲି ଆଣିଦେବୁ କହି ଦିନ ଗଡାଇ ଚାଲିଛନ୍ତି।

ଏ ବିଷୟ ନେଇ ଲାଠୋର ରେଞ୍ଜର ପ୍ରଭାତୀ ସେଠ ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ମୁଁ ପ୍ରଥମ ଥର ଶୁଣିବାକୁ ପାଉଛି ଯେ ଲୋକେ ପଇସା ଦେଇ ରସିଦ୍ ପାଇନାହାନ୍ତି। ଯେଉଁ ମାନେ ପଇସା ଦେଇ ରସିଦ୍ ପାଇନାହାନ୍ତି ସେମାନେ ରେଞ୍ଜ ଅଫିସ ଆସି କାହାକୁ ପଇସା ଦେଇଛନ୍ତି ମତେ କହିଲେ ରସିଦ୍ ଆମେ ଦେଇଦେବୁ। ଲୋକଙ୍କ କହିବା ଅନୁସାରେ ରାଜସ୍ବ ବିଭାଗ, ବନବିଭାଗ ଏବଂ ଇଟାଭାଟି ମାଲିକ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏସବୁ ସମ୍ଭବ ହେଉଛି। ନଚେତ୍ ଇଟାଭାଟି ଗୁଡିକ ସବୁ ରାସ୍ତା କଡ଼ରେ ଚାଲିଥିଲେ ମଧ୍ୟ ସେହି ରାସ୍ତା ଦେଇ ପ୍ରତ୍ୟହ ବନବିଭାଗ କର୍ମଚାରୀ, ରାଜସ୍ବ ବିଭାଗ କର୍ମଚାରୀ ମାନେ ଆତଯାତ କରିଥାନ୍ତି ତଥାପି ସେମାନଙ୍କ ନଜର କିପରି ଇଟାଭାଟି ଗୁଡିକ ଉପରେ ପଡୁନାହିଁ। ଅତି ଶୀଘ୍ର ବେଆଇନ ଭାବେ ଚାଲୁଥିବା ଇଟାଭାଟି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Comments
Loading...