ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଡିକି ଭାଙ୍ଗି ଶିକ୍ଷକଙ୍କ ୩ ଲକ୍ଷ ଟଙ୍କା ଲୁଟ

ଦେବଗଡ ସହରର ମୁଖ୍ୟ ବଜାରରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ପୂର୍ବାହ୍ନରେ ଜଣେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ସାଢ଼େ ୩ ଲକ୍ଷ ଟଙ୍କା ଚୋରୀ ହୋଇଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଳକୁଣ୍ଡି ସ୍କୁଲରେ ଶିକ୍ଷକତା କରୁଥିବା ଢୋଲପଡା ଗ୍ରାମର ମେଘନାଦ ରଣଜିତ ଆଜି ସ୍ଥାନୀୟ ଆଇଡିବିଆଇ ବ୍ୟାଙ୍କରୁ ୫ ଲକ୍ଷ ୫୫ ହଜାର ଟଙ୍କା ଉଠାଣ କରି ଏକ୍ସିସ ବ୍ୟାଙ୍କରେ ୨ ଲକ୍ଷ ଟଙ୍କା ଜମା କରି ଅବଶିଷ୍ଟ ଟଙ୍କାକୁ ନିଜ ବାଇକ ଡିକିରେ ରଖି କୌଣସି କାମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ । କିଛି ସମୟ ପରେ ବାହାରକୁ ଆସିବାରୁ ଡିକିରେ ଥିବା ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଗାୟବ ହୋଇଯାଇଥିବା ଦେଖିବାକୁ ପାଇଥିଲେ ।

ଏ ନେଇ ଶିକ୍ଷକ ଶ୍ରୀ ରଣଜିତ ତୁରନ୍ତ ଦେବଗଡ ଥାନାରେ ପହଁଞ୍ଚି ଅଭିଯୋଗ କରିବା ପରେ ସବଇନ୍ସିପେକ୍ଟର ପ୍ରଦିପ ରଞ୍ଜନ ପାତ୍ରଙ୍କ ନେତୃତ୍ବରେ ଏକ ଟିମ ସହରର ବିଭିନ୍ନ ସ୍ଥାନ ସହ ସିସି ଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରୁଥିବା ଜଣାପଡିଛି । ତେବେ ଖୋଦ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ସିସି ଟିଭି କ୍ୟାମେରା ଖଞ୍ଜା ଯାଇଥିଲେ ହେଁ ଏହା ଅଚଳ ଥିବାରୁ ପୋଲିସକୁ ଘଟଣାସ୍ଥଳର କୌଣସି ଚିତ୍ର ମିଳି ପାରିନାହିଁ । ସୂଚନା ଯୋଗ୍ୟ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କାର ବ୍ୟୟରେ ସିସି ଟିଭି ଖଞ୍ଜା ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦାୟୀତ୍ବ ହୀନତା ଯୋଗୁଁ ସେସବୁ ଅଚଳ ହୋଇ ପଡି ରହିଛି । ଆଜି ଯଦି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସିସି ଟିଭି କାର୍ଯ୍ୟକ୍ଷମ କରୁ ଥାନ୍ତା ତା ହେଲେ ଏହି ଲୁଟ ଘଟଣାର ସଂପୃକ୍ତ ଅପରାଧିକୁ  ଧରିବାରେ ପୋଲିସକୁ ସହାୟକ ହୋଇଥାନ୍ତା ।

ଅନିରୁଦ୍ଧ ନାୟକ

—ଜିଲ୍ଲା ସମ୍ବାଦଦାତା – ଦେବଗଡ଼

Comments
Loading...