ଜୁଆଁଳି ପାଇଁ ହତ୍ୟାକାଣ୍ଡ ଜଣେ ଅଟକ

ଦେବଗଡ ଜିଲ୍ଲା ସୁଗୁଡା ଗ୍ରାମରେ ଜୁଆଁଳି ଚୋରିକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁସାରେ ସୁଗୁଡା ଗ୍ରାମର ଧୀର ସାହୁ (୫୦) ନାମକ ଜଣେ ବ୍ୟକ୍ତି ଗତ କିଛି ଦିନ ପୂର୍ବେ ନିଜ ସମ୍ପର୍କୀୟ ପପନ ସାହୁଙ୍କ ଘରୁ ଶଗଡ ଗାଡିରେ ବ୍ୟବହୃତ ହେଉଥିବା ଜୁଆଁଳିକୁ ନେଇ ନିକଟସ୍ଥ କଂଗ୍ରେସପୁର ଗ୍ରାମର ଲୋଧା ବାଘକୁ ୨୫୦ ଟଙ୍କାରେ ବିକ୍ରି କରିଥିଲା । ଏ ଘଟଣା ଜାଣିବା ପରେ ପପନ ଲୋଧା ଘରକୁ ଯାଇ ୨୫୦ ଟଙ୍କା ଦେଇ ନିଜ ଜୁଆଁଳି ଫେରାଇ ଆଣିଥିଲେ । ଏହା ପରେ ପପନ ଧୀରଙ୍କ ଘରକୁ ଆସି ତାଙ୍କ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କୁ ଏକ ବାଉଁଶ ବାଡିରେ ନିସ୍ତୁକ ପିଟିଥିଲେ । ଏ ଘଟଣା ପରେ ଧୀର ଗ୍ରାମରେ ଥିବା ମଦ ଭାଟିକୁ ମଦ ପିଇବା ପାଇଁ ଚାଲି ଯାଇଥିଲା । ଏହାର କିଛି ସମୟ ପରେ ପପନ ମଧ୍ୟ ଉକ୍ତ ଭାଟିକୁ ଯାଇଥିଲା । ପପନର ରାଗ ଶାନ୍ତ ହୋଇ ନଥିବା ବେଳେ ସେ ମଦ ଦେବାର ଲୋଭ ଦେଖାଇ ଧୀରକୁ ନିକଟସ୍ଥ ମନ୍ଦିର ବେଢ଼ାକୁ ଡାକି ନେଇ ସେଠାରେ ଅତ୍ୟଧିକ ମଦ ପିଆଇ ଅଚେତ କରି ଧୀରର ମୁଣ୍ଡକୁ କାଠ ଫାଳିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଧୀରର ମୃତ୍ୟୁ ହୋଇଥିବା ନେଇ ପୁଅ ସାଗର ସାହୁ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପପନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମୃତ ଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Comments
Loading...