ନିଜ ପାଳି ଓ ସ୍ଲଟ୍ ଅନୁଯାୟୀ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ରାଉରକେଲା ସହରରେ ମଙ୍ଗଳବାରଠାରୁ ନୂଆ ସୂଚୀ ଅନୁଯାୟୀ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ନିଜ ନିଜର ପାଳି ଅନୁଯାୟୀ ଏବଂ ପୂର୍ଣ୍ଣ କୋଭିଡ୍ ପ୍ରୋଟୋକଲ୍ ପାଳନ କରି ଟିକା ନେବାକୁ ୧୮ରୁ ୪୪ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ୧୮ରୁ ୪୪ ବର୍ଷ ବର୍ଗରେ ଲୋକମାନଙ୍କୁ ମାଗଣାରେ କୋଭିଡ୍ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ରାଉରକେଲା ମହାନଗର ନିଗମ ପାଇଁ ଯେତିକି ଟିକା ଆସିଛି ସେହି ଅନୁଯାୟୀ ଟିକାକରଣ ସୂଚୀ ପ୍ରସ୍ତୁତ କରାଯାଇଛି ଓ ଆଗାମୀ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଏହା ଚାଲିବ। ପୁଣି ପର୍ଯ୍ୟାୟକ୍ରମେ ଯେତିକି ପରିମାଣର ଟିକା ଆସି ପହଞ୍ଚିବ ସେହି ଅନୁଯାୟୀ କାର୍ଯ୍ୟକ୍ରମ ଜାରି ରହିବ।

୧୮ରୁ ୪୪ ବର୍ଷ ବର୍ଗରେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିବା ବ୍ୟକ୍ତିଙ୍କୁ ହିଁ ଟିକା ଦିଆଯିବ। ତେଣୁ ନିଜର ସ୍ଲଟ୍ ଅନୁଯାୟୀ ନିର୍ଦ୍ଧାରିତ ଦିନ ଓ ସମୟରେ ନିର୍ଦ୍ଦିଷ୍ଟ କେନ୍ଦ୍ରରେ ପହଞ୍ଚିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକାଦାନ କେନ୍ଦ୍ରକୁ ଆସି ସେଠାରେ ପଞ୍ଜୀକରଣ କରିପାରିବେ। ଏହି ବର୍ଗରେ ବର୍ତ୍ତମାନ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ।

ରାଉରକେଲାରେ ୮ଟି ଟିକାକରଣ କେନ୍ଦ୍ର ରହିଛି। ସେଗୁଡ଼ିକ ସୋମବାରରୁ ଶନିବାର ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଟିକାଦାନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଲାଗି ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ।

ଏହି ନୂଆ ସୂଚୀରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ଦିଆଯିବ। ସେହିପରି ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବୁଧବାର, ଶୁକ୍ରବାର ଏବଂ ସୋମବାର ଟିକା ଦିଆଯିବ। ଯେଉଁ ବର୍ଗର ବ୍ୟକ୍ତିଙ୍କର ଯେଉଁଦିନ ପାଳି ଅଛି ସେମାନେ ସେହିଦିନ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comments
Loading...