କୋଭିଡ୍ ନିୟମ ଉଲ୍ଲଂଘନ କଲେ ଗଣିବାକୁ ହେବ ଜରିମାନା, ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଅଛନ୍ତି ଏନଫୋର୍ସମେଣ୍ଟ ସ୍କ୍ୱାଡ୍

ଏପ୍ରିଲ ୧୨ରୁ ମେ’ ୭ ତାରିଖ ଭିତରେ ୪୭ ଲକ୍ଷ ୪୪ ହଜାର ୬୯୦ ଟଙ୍କାର ଜରିମାନା ଆଦାୟ, କୋଭିଡ୍ ନିୟମ ନମାନିଲେ ଗଣିବାକୁ ହେବ ଜରିମାନା। ଏ ବାବଦରେ କଡ଼ାକଡ଼ି ହେଉଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏପ୍ରିଲ ୧୨ରୁ ମେ’ ୭ ତାରିଖ ଭିତରେ ବିଭିନ୍ନ ବ୍ୟକ୍ତି, ଦୋକାନ ଓ ସଂସ୍ଥାଠାରୁ ୪୭ ଲକ୍ଷ ୪୪ ହଜାର ୬୯୦ ଟଙ୍କାର ଜରିମାନା ଆଦାୟ କରାଯାଇଛି।

ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ବିଭିନ୍ନ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଜିଲ୍ଲାରେ ସକ୍ରିୟ ଅଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଭାଙ୍ଗିବା ଆଦି କାରଣ ପାଇଁ ଜରିମାନା ଆଦାୟ କରୁଛନ୍ତି। ଲକଡାଉନ୍ ସମୟରେ ଏହି ନିୟମକୁ କଡ଼ାକଡ଼ି କରି ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି।

କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି, ଦୋକାନୀ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ବିଭିନ୍ନ ଘରୋଇ ଅନୁଷ୍ଠାନଠାରୁ ଜରିମାନା ଆଦାୟ କରାଯାଉଛି l ମେ’ ୭ ତାରିଖ ସୁଦ୍ଧା କୋଭିଡ୍ ନିୟମ ଭାଙ୍ଗିବା ଅଭିଯୋଗରେ ୯,୫୬୫ ବ୍ୟକ୍ତି, ୧,୦୨୬ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ୧୦ଟି ଘରୋଇ ସଂସ୍ଥାକୁ ଜରିମାନା କରାଯାଇଛି। ସେହିପରି ୧୪୨ଟି ଦୋକାନ ସିଲ କରାଯାଇଥିବା ଜିଲ୍ଲା ପ୍ରଶାସନଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

ଏହି ସମୟ ମଧ୍ୟରେ ସୁନ୍ଦରଗଡ଼ ପୋଲିସ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ ଲକ୍ଷ ୩୪ ହଜାରରୁ ଅଧିକ ଏବଂ ରାଉରକେଲା ପୋଲିସ ୨୦ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରିଛି। ରାଉରକେଲା ମହାନଗର ନିଗମର ସ୍କ୍ୱାଡ୍ ଏ ବାବଦରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି।

ଜିଲ୍ଲାର ବିଭିନ୍ନ ସବଡିଭିଜନ ସ୍ତରରେ କୋଭିଡ୍ ନିୟମ ତଦାରଖ ଲାଗି ମଧ୍ୟ ସ୍କ୍ୱାଡ୍ ରହିଛି। ସୁନ୍ଦରଗଡ଼ ସଦର ସବଡିଭିଜନରେ ୧୨ ଲକ୍ଷ ଟଙ୍କାରୁ ଅଧିକ ଫାଇନ ଆଦାୟ କରାଯାଇଛି। ସେହିପରି ପାନପୋଷ ସବଡ଼ିଭିଜନରେ ୪ ଲକ୍ଷ ୨୪ ହଜାରରୁ ଅଧିକ ଏବଂ ବଣାଇଁ ସବଡିଭିଜନରେ ୪ ଲକ୍ଷ ୭୫ ହଜାରରୁ ଅଧିକ ଟଙ୍କା ଆଦାୟ ହୋଇଛି।

ଜିଲ୍ଲା ପ୍ରଶାସନ ବ୍ରେକ ଦ ଚେନ ଅଭିଯାନ ଚଳାଇ କରୋନା ଶିକୁଳି କାଟିବାକୁ ପ୍ରୟାସ କରୁଛି। ତେଣୁ ଜନସାଧାରଣ କୋଭିଡ୍ ନିୟମ ମାନି ଲକଡାଉନ ସମୟରେ ଘରେ ରହିବାକୁ ପ୍ରଶାସନ ଅନୁରୋଧ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ କୌଣସି ସ୍ଥାନରେ ଭିଡ଼ ନକରିବାକୁ ପରାମର୍ଶ ଦିଆଯାଇଛି।

Comments
Loading...