ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଥୁଆମୂଳ ରାମପୁରରେ ବଢୁଛି ଦାଦନ ଯନ୍ତ୍ରଣା, ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି: ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁରରେ ଦାଦନ ଯନ୍ତ୍ରଣା ବଢ଼ିବାରେ ଲାଗିଛି।ତାମିଲନାଡୁରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅର୍ଥାଭାବ ଯୋଗୁଁ ଶବ ଘରକୁ ଆସି ପାରୁନଥିବା ନେଇ ସାଧାରଣରେ ଦୁଃଖର ବିଷୟ ହୋଇଛି।ପ୍ରାପ୍ତସୂଚନାରୁ ପ୍ରକାଶ ଯେ,ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ସମାପଲା ଗାଁର ଡୁମେନ ମାଝୀଙ୍କ ସାନପୁଅ ବିନାରସିଂ ମାଝୀ(୩୧) ଗତ ୨୦୧୯ ମସିହାରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ।ଗତକିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କ ସାଙ୍ଗରେ ଥିବା ସାଥିମାନେ ତାଙ୍କୁ ତାମିଲନାଡୁର କୋଏମ୍ବାଟୁର ସରକାରୀ ମେଡ଼ିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ବିନାରସିଂ ମାଝୀଙ୍କ ଦେହାନ୍ତ ହୋଇଛି।ତାଙ୍କ ଦେହାନ୍ତ ଖବର ଶୁଣି ପରିବାର ମଧ୍ୟରେ ଭାଳେଣି ପଡି ଯାଇଛି।ଗୋଟିଏ ପଟେ ଅର୍ଥ ଅଭାବ ଯୋଗୁଁ ଶବ ମଧ୍ୟ ଗାଁକୁ ଆସିପାରୁନାହିଁ । ବିନାରସିଂ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି।ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ରୋଜଗାରିଆ ସ୍ୱାମୀକୁ ହରାଇ ସ୍ତ୍ରୀ ଏବେ ବେସାହାରା ହୋଇପଡିଛନ୍ତି । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଥିବା ବେଳେ ଶବ ଫେରାଇ ଆଣିବା ପାଇଁ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ସେଠିକାର ପ୍ରଶାସନ ସହିତ ଯୋଗାଯୋଗ ରଖିଛନ୍ତି ।

Comments
Loading...