ଧ୍ବଂସ ହେଉଛି ଜଙ୍ଗଲ, ବଦଳୁଛି ଜଳବାୟୁ, ୩୦ ବର୍ଷରେ କମିଛି ୩୧.୯୮% ଜଙ୍ଗଲ୩୦ ବର୍ଷରେ କମିଛି ୩୧.୯୮% ଜଙ୍ଗଲ

ଭବାନୀପାଟଣା – (ସୁରେଶ ଚନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପଟେ ବନୀକରଣ ପାଇଁ ଯୋଜନା ପରେ ଯୋଜନା ଚାଲିଥିବା ବେଳେ ଅପରପକ୍ଷେ ଦିନକୁ ଦିନ ଜିଲ୍ଲାର ଘଂଚ ଜଙ୍ଗଲ ମାନଙ୍କରେ ଥିବା ଶାଳ ବଣ ଓ ବାଉଁଶ ବଣ ଭଳି ଅନେକ ମୂଲ୍ୟବାନ ଗଛ ସବୁ ଧିରେ ଧିରେ ଧ୍ବଂସ ପାଇବାରେ ଲାଗିଛି । ଫଳରେ ଏହାର ପ୍ରଭାବ ଜିଲ୍ଲାର ଜଳବାୟୁ ବା ପରିବେଶ ଉପରେ ପଡୁଛି । ଜିଲ୍ଲାରେ ସର୍ବୋଚ୍ଚ ବାର୍ଷିକ ହାରାହାରି ବୃଷ୍ଟିପାତ ୧୬୬୫ ମିମି ଥିବାବେଳେ ବିଭିନ୍ନ ସମୟରେ ଏହାର ପରିବର୍ତନ ଦେଖାଦେଉଛି । ଗତ ୩୦ ବର୍ଷ ମଧ୍ୟରେ ୩୧.୯୮ ପ୍ରତିଶତ ଜଙ୍ଗଲ କ୍ଷୟ ଯୋଗୁଁ ଏହାର ପ୍ରତିକୂଳ ପ୍ରଭାବ ଜଳବାୟୁ ପରିବର୍ତନରେ ଦେଖିବାକୁ ମିଳିଛି । ୧୯୮୪ ମସିହା ଫେବୃଆରୀ, ମେ ପର୍ଯ୍ୟନ୍ତ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ କେନ୍ଦ୍ରୀୟ ଜୋନ଼୍ ନାଗପୁର ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଜଙ୍ଗଲ ସଂପଦ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏହା ୧୯୮୭ ମସିହାରେ ଓଡିଶା ବନ ବିଭାଗ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ୫୩% ଜଙ୍ଗଲ ଥିବା ଦର୍ଶାଯାଇଥିଲା । ସେଥି ମଧ୍ୟରୁ ୨୨.୪ ପ୍ରତିଶତ ଅଂଚଳରେ ଶାଳ ଗଛ ଓ ୧.୯ ପ୍ରତିଶତ ଅଂଚଳରେ ଶାଗୁଆନ ଗଛ ଥିବାବେଳେ ୩୦ ବର୍ଷ ମଧ୍ୟରେ ୩୧.୯୧% ଜଙ୍ଗଲ ଧ୍ବଂସ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ , କଳାହାଣ୍ଡି ଜିଲ୍ଲାର ଭୌଗଳିକ ପରିସୀମା ୭୯୨୦ ବର୍ଗ କିମି ଅଟେ । ଏହା ୭.୯୨ ଲକ୍ଷ ହେକ୍ଟର ପରିମିତ ଅଂଚଳରେ ଅଟେ । ଏହା ମଧ୍ୟରୁ ବର୍ତମାନ ୩ ଲକ୍ଷ ୧୪ ହଜାର ହେକ୍ଟର ଅଂଚଳରେ ଜଙ୍ଗଲ ରହିଛି । ଏହା ଜିଲ୍ଲାର ୩୯.୬୬% ଅଟେ । ଜିଲ୍ଲାର ବାର୍ଷିକ ହାରାହାରି ବୃଷ୍ଟିପାତ ୧୬୬୫ ମିମି ରହିଥିବା ବେଳେ ଗତ ୨୦୧୭ ମସିହାରେ ୧୪୨୫ ମିମି, ୨୦୧୮ ମସିହାରେ ୧୯୯୬ ମିମି, ୨୦୧୯ ମସିହାରେ ୧୫୭୨ ମିମି ବର୍ଷା ରେକର୍ଡ କରାଯାଇଛି । ୨୦୨୩ ମସିହାରେ ଏହା ୧୩୭୬ ମିମି ରହିଥିଲା । ବିଭିନ୍ନ ବର୍ଷରେ ବର୍ଷାର ଅନିୟମିତତା ଜଙ୍ଗଲ ଧ୍ବଂସର ପ୍ରମୁଖ କାରଣ ବୋଲି ପରିବେଶବିତ ମାନେ ଯୁକ୍ତି ଦର୍ଶାଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ତାପମାତ୍ରାରେ ମଧ୍ୟ ବ୍ୟାପକ ପରିବର୍ତନ ଦେଖାଦେଇଛି । ଜିଲ୍ଲାରେ ସର୍ବାଧିକ ୪୫ ଡିଗ୍ରି ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ଥିବା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଥୁଆମୂଳ-ରାମପୁର ଅଂଚଳରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ମଧ୍ୟରେ ରହିବାର ନଜିର ରହିଛି । ଏଥିଯୋଗୁଁ ଥୁଆମୂଳ-ରାମପୁର ଦୁର୍ଗମ ଅଂଚଳରେ ତୁଷାରପାତ ହୋଇଥାଏ । ଗୋଟିଏ ପଟେ ସର୍ବାଧିକ ତାପମାତ୍ରା ଥିବା ବେଳେ ଅନ୍ୟପଟେ ସର୍ବନିମ୍ନ ତାପମାତ୍ରାର ରେକର୍ଡ ଜଳବାୟୁ ପରିବର୍ତନର ମୁଖ୍ୟକାରଣ ଅଟେ । ଜିଲ୍ଲାର ଥୁଆମୂଳ-ରାମପୁର, ଲାଞ୍ଜିଗଡ ଓ ମଦନପୁର-ରାମପୁର ଅଂଚଳର ଘଂଚ ଜଙ୍ଗଲମାନଙ୍କରେ ଜଳବାୟୁର ପରିବର୍ତନ ଦେଖାଯାଉଥିବା ବେଳେ ଅନ୍ୟ ଅଂଚଳରେ ଉଷ୍ମ ଜଳବାୟୁ ଦେଖାଯାଇଥାଏ । ଶୀତ ଦିନେ ମଦନପୁର-ରାମପୁର ଅଂଚଳରେ ବେହେରାମାଲିଆ ପବନ ଓ ଥୁଆମୂଳ ରାମପୁର ଅଂଚଳରେ ପାହାଡ଼ିଆ ପବନ ଲୋକଙ୍କୁ ଜାଡ଼ରେ ଥରାଇଥାଏ । ସେହିଭଳି ଖରାଦିନେ ଘଂଚ ଥରାଇଥାଏ । ବନାନୀ ଅଂଚଳରେ ତାତି କମ ଥିବାବେଳେ ଅନ୍ୟ ଅଂଚଳରେ ଏହାର ବିପରୀତ ଜଳବାୟୁ ଜନଜୀବନକୁ ପ୍ରଭାବିତ କରିଛି । ଥୁଆମୂଳ-ରାମପୁର ଅଂଚଳରେ କଫି ଚାଷ ହେଉଥିବାବେଳେ ଲାଞ୍ଜିଗଡ ଅଂଚଳରେ ଷ୍ଟ୍ରବେରୀ ଚାଷ ହେଉଛି । ଅନ୍ୟ ପକ୍ଷରେ ଧର୍ମଗଡ ଉପଖଣ୍ଡ ଅଂଚଳରେ ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ପ୍ରଚୁର ମାତ୍ରାରେ ଧାନ ଚାଷ ହେଉଛି । ଜଳବାୟୁ ପରିବର୍ତନ ବିଲକ୍ଷଣ ଯୋଗୁଁ ଉଭୟ ବିପରୀତଧର୍ମୀ ଚାଷ ମଧ୍ୟ ଦେଖିବାକୁ ମିଳୁଛି ଜିଲ୍ଲାରେ ୨.୩୮ଲକ୍ଷ ହେକ୍ଟର ଉଚ୍ଚଜମି ଥିବାବେଳେ ୦.୮୫ ଲକ୍ଷ ହେକ୍ଟର ମଧ୍ୟମ ଜମି ରହିଛି ଓ ୦.୬୮ ଲକ୍ଷ ହେକ୍ଟର ଖାଲୁଆ ଜମି ରହିଛି । ଉଚ୍ଚ ଜମିରେ ଡାଲିଜାତୀୟ ଶସ୍ୟ ଓ କପା ଚାଷ ହେଉଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲା ଓଡିଶାରେ ସର୍ବାଧିକ ଉତ୍ପାଦନର ମାନ୍ୟତା ପାଇଛି । ସେହିଭଳି ମଧ୍ୟମ ଜମିରେ ଜଳସେଚନ ଯୋଗୁଁ ଓଡ଼ିଶାର ଦ୍ବିତୀୟ ଜିଲ୍ଲା ଭାବରେ ଧାନ ଉତ୍ପାଦନ ହେଉଛି । ଜିଲ୍ଲାର ୧.୮୨ ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଥାଏ । ଦିନକୁ ଦିନ ଜଳବାୟୁ ପରିବର୍ତନ ଯୋଗୁଁ ଡାଲିଜାତୀୟ ଫସଲ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଜଙ୍ଗଲ ଧ୍ବଂସ ଯୋଗୁଁ ଏଭଳି ବିଲକ୍ଷଣକୁ ସନ୍ତୁଳିତ କରିବା ପାଇଁ ରାଜ୍ୟ ସରକାର ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Comments
Loading...