ନିୟମଗିରିର ଦୁଃଖ:ବିକାଶଠୁ ବହୁଦୂରେ ତାଡ଼ିଝୁଲାବାସୀ

  • ସ୍ୱାସ୍ଥ୍ୟ, ଶିକ୍ଷା,ଗମନାଗମନ ,ବିଜୁଳି ଓ ପାଣି ନାହିଁ ; ଖଟିଆରେ ବୁହା ହୁଅନ୍ତି ରୋଗୀ.

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍/ମଳୟ ବେନୁଆଁ):ଆଦିବାସୀ ଅଧ୍ଯୁଷିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡର ପାଦ ଦେଶରେ ରହିଛି ଏକ ଗାଁ ତାଡିଝୁଲା । ଏଠି ୨୫ରୁ ଅଧିକ ପରିବାରରେ ୧୮୦ରୁ ଅଧିକ ଲୋକ ରହୁଛନ୍ତି। ହେଲେ ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସ୍ବାସ୍ଥ୍ୟ ସେବା,ଶିକ୍ଷା,ଗମନାଗମନ,
ପାନିୟ ଜଳ ଓ ବିଜୁଳି ହେଉଛି ଗାଁର ମୁଖ୍ୟ ସମସ୍ୟା । ଲାଞ୍ଜିଗଡ଼ ବ୍ଳକ ମୁଖ୍ୟଳୟରୁ ୩୫ କିମି ଦୂର ଓ ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ରହିଛି ଏହି ଗାଁ । ଏହି ଗ୍ରାମବାସୀଙ୍କ ପାଇଁ ରାସ୍ତା ମୁଖ୍ୟ ସମସ୍ୟା। ଫଳରେ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ ମଧ୍ୟ ନିର୍ମାଣ କରିବା ସମ୍ଭବ ହେଉ ନାହିଁ ବୋଲି ପ୍ରକାଶ କରିଛନ୍ତି । ଦୁଇ କିମି ଦୂର ଜଙ୍ଗଲ ପାଦଚଲା ରାସ୍ତାରେ ହିତାଧିକାରୀ ପଞ୍ଚାୟତ ପିଡିଏସ୍ ଚାଉଳ ଓ ଭତ୍ତା ପାଇଁ ନାହିଁ ନ’ଥିବା ଅସୁବିଧା ଦେଖିବାକୁ ମିଳିଛି। ଗାଁରୁ ୨ କିମି ପାଦଚଲା ରାସ୍ତାରେ ଯିବା ପରେ ନିୟମଗିରି ପାହାଡ଼ ତଳେ ଥିବା ଫୁଲଡୁମେର ଗାଁ ଠାରୁ ଭଲ ରାସ୍ତା ପଡ଼େ। ଗାଁ ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି।ପାଦଚଲା ରାସ୍ତା ଯୋଗୁ ସ୍ବାସ୍ଥ୍ୟକର୍ମୀ କେବେବି ଗାଁକୁ ଆସୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ପଞ୍ଚାୟତ ମୁଖ୍ୟାଳୟ ତ୍ରିଲୋଚନପୁରରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଟି ୨୦୧୦ ମସିହାରୁ ବନ୍ଦ ପଡିଥିବା ଯୋଗୁଁ ସ୍ୱାସ୍ଥ୍ୟକର୍ମୀ ଗାଁ ଆସିବା ଦୂରର କଥା ନିୟମିତ ଭାବେ ପଞ୍ଚାୟତକୁ ଆସୁନାହାନ୍ତି। ଫଳରେ ଅନେକ ରୋଗୀ ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ରହୁଛନ୍ତି। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ୨ କିମି ଦୂର ମୁଖ୍ୟ ରାସ୍ତା ଫୁଲଡୁମେର ଗାଁ ପର୍ଯ୍ୟନ୍ତ ଆଣିବାକୁ ହୋଇଥାଏ। ବାରମ୍ବାର ଦାବି ପରେ ମଧ୍ୟ ଗାଁକୁ ବିଜୁଳି ସଂଯୋଗ ହୋଇ ପାରିନଥିବା ବେଳେ କିଛି ବର୍ଷ ହେଲା ଏନ୍‌ଜିଓ ମାଧ୍ୟମରେ ସୌରଶକ୍ତି ଚାଳିତ ଲାଇଟ୍ ଆଦିବାସୀଙ୍କୁ ଯୋଗାଇ ଦିଆଯାଇଥିଲା।କିନ୍ତୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଅଧିକାଂଶ ଅଚଳ ହୋଇ ପଡ଼ି ରହିଛି। ସଜାଡ଼ିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି।ଯାହା ଫଳରେ ଡିବିରି ଆଲୁଅରେ ରହୁଥିବା କହିଛନ୍ତି।ଗାଁଠାରୁ ଅଙ୍ଗନବାଡି କେନ୍ଦ୍ର ୨କିମି ଓ ସ୍କୁଲ ୫ କିମି ଦୂରରେ ରହିଥିବା ବେଳେ ଜଙ୍ଗଲ ପାଦ ଚଲା ରାସ୍ତା ଯୋଗୁଁ ଗାଁ ପିଲାମାନେ ଯାଇନ ପାରି ଶିକ୍ଷାରୁ ବଞ୍ଚିତ ରହୁଥିବା କହିଛନ୍ତି।ଗାଁରେ ୧୦ ବର୍ଷ ହେଲା ସୋଲାର ଲାଇଟ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ଟାଙ୍କି ବସିଛି।କିନ୍ତୁ ନିର୍ମାଣର ଏକ ମାସ ପରେ ତାହା ଅଚଳ ହୋଇ ପଡି ରହିଛି।ତେଣୁ ନିୟମଗିରି ପାହାଡରୁ ଆସୁଥିବା ଝରଣା ପାଣିକୁ ୨୦୧୯ ମସିହାରେ ଗାଁ ଉପରେ ଥିବା କୁନାକାଡୁ ଗାଁରେ ୨୦ ଲକ୍ଷ ଅଟକଳ ମୂଲ୍ୟରେ ଏକ ପାଣିଟାଙ୍କି ନିର୍ମାଣ କରାଯାଉଛି।ସେଠାରୁ ୫ କିମି ଦୂରରୁ ସିଧା ସଳଖ ଆସୁଥିବା ଝରଣା ପାଣିକୁ ଛୋଟ ପାଇପ ଯୋଗେ ଗାଁକୁ ଜଳ ଯୋଗାଣ କରାଯାଇଛି।କିନ୍ତୁ ନିମ୍ନ ମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣି ମଧ୍ୟ ଠିକ ଭାବେ ବାହାରୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଫଳରେ ସମସ୍ତ ପରିବାରକୁ ପାଣି ପହଞ୍ଚୁ ନାହିଁ ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ରିପୋର୍ଟ-ମଳୟ ବେନୁଆଁ(ରାହୁଲ୍).

Comments
Loading...