ପାରଂପରିକ ପଦ୍ଧତିରେ ଧାନ ମଳା

ଭବାନୀପାଟଣା – (ସୁରେଶ ଚନ୍ଦ୍ର ସାହୁ) : କଳାହାଣ୍ଡି ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ପରିଚିତ ଥିବାବେଳେ ଏଠାକାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି । ତେବେ ଯୁଗ ପରିବର୍ତନ ହେବା ସହ ଆଧୁନିକ କୃଷି ଯନ୍ତ୍ରପାତି ବଜାରରେ ଉପଲବ୍ଧ ହେବା ପରେ ଏବେ ବି କ୍ଷୁଦ୍ର ଚାଷୀମାନେ ଆର୍ଥିକ ଅଭାବ ଯୋଗୁଁ ସେହି ପୁରୁଣା ପ୍ରଦ୍ଧତିରେ ଚାଷ କାମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଶେଷ କରି ଧାନ ମଳିବା ଯନ୍ତ୍ର ବାହାରିବା ପରେ କମ ସମୟରେ କମ ଶ୍ରମିକ ନିଯୁକ୍ତିରେ ଅଧିକ ଧାନ ମଳିବା ସମ୍ଭବ ହେଉଥିବା ଯୋଗୁଁ ବଡ଼ ବଡ଼ ଚାଷୀମାନେ ଏହାକୁ ଅଧିକ ବ୍ୟବହାର କରୁଛନ୍ତି । ଆଉ କିଛି କ୍ଷୁଦ୍ର ଚାଷୀ ଆର୍ଥିକ ଅଭାବ ଯୋଗୁଁ ଆଜି ମଧ୍ୟ ସେହି ପୁରୁଣା ପଦ୍ଧତିରେ ଧାନ ମଳୁଛନ୍ତି । ଧାନ ମଳା ଯନ୍ତ୍ର ବାହାରିବା ପରେ ଅଧିକ ଶ୍ରମିକର ଆବଶ୍ୟକ ନଥିବା ବେଳେ ଲୋକେ କାମ ଅଭାବ ଯୋଗୁଁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । କ୍ଷୁଦ୍ର ଚାଷୀମାନେ ଧାନ ଜମିରୁ ଧାନ ଅମଳ କରିବା ପୂର୍ବରୁ ନିଜ ଖଳାକୁ ଗୋବର ପାଣିରେ ସଫା ବା ଲିପାପୁଛା କରିଥାନ୍ତି । ପରେ ଧାନ ଜମିରୁ ଧାନ କାଟି ଖଳାରେ ଗଦା କରି ରଖିଥାନ୍ତି । ଧାନ ମଳିବା ପାଇଁ ଏକ ଓଜନିଆ କାଠ ଗଣ୍ଡି ବ୍ୟବହାର କରନ୍ତି । ଉକ୍ତ କାଠ ଗଣ୍ଡିରେ ବସିବା ପାଇଁ କାଠ ପଟା ବ୍ୟବହାର କରାଯାଏ । ସେହି କାଠ ଗଣ୍ଡିରେ ଦୁଇଟି ଛୋଟ ଛୋଟ କାଠ ସଂଯୋଗ କରିବା ପରେ ସେହି କାଠ ଗଣ୍ଡିକୁ ବଳଦମାନେ ଟାଣିବା ପାଇଁ ଅନ୍ୟ ଦୁଇଟି ଲମ୍ବା କାଠ ସଂଯୋଗ ହୋଇଥାଏ । ଏହି ପୁରୁଣା ପଦ୍ଧତିରେ ଧାନ ମଳା ଯନ୍ତ୍ର ତିଆରି ହେବା ପରେ ଧାନ ମଲା ସମୟରେ ଧାନ ଗଦାରୁ ଅଲଗା କରି ଧାନକୁ ଖଳା ଉପରେ ବିଛାଇଥାନ୍ତି । ପେରେ ଏହି ଓଜନିଆ କାଠ ଗଣ୍ଡିକୁ ବିଛା ଯାଇଥିବା ଧାନ ଉପରେ ଚଳାଇ ଥାନ୍ତି । ଦୀର୍ଘ ସମୟ ଧରି ଚଳାଇବା ପରେ ଧାନ କଡପାରୁ ଧାନ ଓ ପାଳ ଅଲଗା ହୋଇଯାଏ । ପରେ ପାଳ ଗୁଡିକୁ ଅଲଗା କରିବା ସହ ଧାନକୁ ସଂଗ୍ରହ କରିଥାନ୍ତି । ଏହି ପୁରୁଣା ପଦ୍ଧତିରେ ଧାନ ମଳିଲେ ଧାନ ଭାଙ୍ଗିବ ନାହିଁ ଏବଂ ପାଳ ମଧ୍ୟ ନଷ୍ଟ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି । ଧାନ ମଳା ଯନ୍ତ୍ରରେ ଧାନ ମଳିଲେ ଧାନ ମଞ୍ଜି ନଷ୍ଟ ହେବା ସହ ଗାଈ ଗୋରୁମାନ ସେହି ପାଳ ଖାଇବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଚାଷୀମାନେ କହିଛନ୍ତି । ତେବେ କିଛି ଚାଷୀ ଆର୍ଥିକ ଅଭାବ ସହ ପାଳ ନଷ୍ଟ ନହେବା ପାଇଁ ଏବେ ମଧ୍ୟ ସେହି ପୁରୁଣା ପଦ୍ଧତିରେ ଧାନ ମଳା କାମ କରୁଛନ୍ତି ।

Comments
Loading...