ବୃତ୍ତିରେ ଅଟୋ ଚାଳକ କିନ୍ତୁ ସମାଜ ପାଇଁ ସାଜିଛନ୍ତି ଦେବଦୂତ

ନୂଆପଡ଼ା: ସେ ଏଚଆଇଭି ଆକ୍ରାନ୍ତ। ନିଜ ଜୀବନ ଉପରେ ନିଜର ଭରଷା ନାହିଁ। କେତେବେଳେ ଯେ ଜୀବନ ଦୀପ ଲିଭିଯିବ, ତାର ଠିକଣା ନାହିଁ। ହେଲେ ଜୀବନ ଦୀପ ଜଳୁଥିବା ଯାଏଁ ସେ ସାଜିଛନ୍ତି ଅନ୍ୟ ଜୀବନର ଆଲୋକ ବର୍ତ୍ତିକା। କରୋନା ସମୟରେ ନିଜ ଲୋକ ପର ପାଲଟିଯାଉଥିବା ବେଳେ ପର ହୋଇ ବି ସେବା ପାଇଁ ନିଜର ଭଳି ଆଗେଇ ଆସୁଛନ୍ତି। ନୂଆପଡ଼ା କୋମନାର ଜଣେ ଅଟୋ ଚାଳକ ସେହିଭଳି କଳାହାଣ୍ଡିର ଦାଦନ ପ୍ରବଣ ଅଞ୍ଚଳରେ ଭୋକିଲା ବୃଦ୍ଧବୃଦ୍ଧାଙ୍କ ପେଟ ଚିହ୍ନି କରୋନା କାଳରେ ମାନବ ସେବାର ଉଦାହରଣ ପାଲଟିଛନ୍ତି କିଛି ଉଦ୍ୟମୀ ଯୁବକ।


ବୃତ୍ତିରେ ସେ ଜଣେ ସାଧାରଣ ଅଟୋ ଚାଳକ। ଛୋଟ ଅଟୋଟି ତାଙ୍କ ସମ୍ପତ୍ତି। ଆଉ ତାଙ୍କ ଝାଟିମାଟି କୁଡ଼ିଆ ଘରଟି ତାଙ୍କର ସାଥୀ। ଘର ମଣିଷ ସିନା ମାମୁଲି, ହେଲେ ଏବେକା କରୋନା କାଳରେ ତାଙ୍କ କାମ କିନ୍ତୁ କେଉଁ ସମ୍ମୁଖ କରୋନା ଯୋଦ୍ଧାଠୁ କମ୍ ନୁହେଁ। ନୂଆପଡ଼ା କୋମନା ବ୍ଲକ୍ କୋନାବିରା ଅଞ୍ଚଳର  ଜଣେ ଏଚ୍‌ଆଇଭି ଆକ୍ରାନ୍ତ ନିଜ ଜୀବନକୁ ଭରଷା ନଥିଲେ ବି ଅନ୍ୟର ଜୀବନ ବଞ୍ଚାଇବାକୁ ପଣ କରିଛନ୍ତି। ସେ ଅଞ୍ଚଳରେ କୌଣସି ଲୋକ ଜ୍ୱର, ଥଣ୍ଡା, କାଶ ଭଳି ସମସ୍ୟାରେ ପଡ଼ିଲେ ଖୋଜାପଡ଼ନ୍ତି ଏହି ଅଟୋ ଚାଳକ। ଫୋନ୍ କଲଟିଏ ପାଇବା ମାତ୍ରେ ତୁରନ୍ତ ହାଜର ହୋଇ ନିଜ ଅଟୋରେ ରୋଗୀଙ୍କୁ ପହଞ୍ଚାନ୍ତି କୋମନା ସରକାରୀ ମେଡିକାଲରେ। ଚିକିତ୍ସା ସରିଲେ ପୁଣି ଘରେ ଛାଡ଼ିବାର ଦାୟିତ୍ୱ ବି ବହନ କରନ୍ତି। ଏଥିପାଇଁ ଟଙ୍କାଟିଏ ଦାବି କରନ୍ତିନି ସେ। ଏ ନିଆରା ଅଟୋ ଚାଳକଙ୍କୁ ସ୍ଥାନୀୟ ଲୋକେ କହୁଛନ୍ତି କୋରନା କାଳର ଦେବଦୂତ।


କରୋନା କାଳରେ ମାନବ ସେବାକୁ ମାଧବ ସେବା ଭାବେ ଧରି ନେଇଥିବା ଲୋକଙ୍କ ଭିତରୁ ଆଉ କିଛି ଚେହେରା ଦେଖିବାକୁ ମିଳିଛି କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକରେ। ଏବେ ଅଞ୍ଚଳର ଅସହାୟ ବୃଦ୍ଧ-ବୃଦ୍ଧା ଓ ଭୋକିଲା ଲୋକଙ୍କ ପାଇଁ ସାଜିଛନ୍ତି ସାକ୍ଷାତ ଭଗବାନ। ନିଜ ଉଦ୍ୟମରେ ଭୋଜନ ପ୍ରସ୍ତୁତ କରିବା ପରେ ଅସହାୟଙ୍କ ଠିକଣା ଖୋଜି ପହଞ୍ଚୁଛନ୍ତି ସେମାନଙ୍କ ନିକଟରେ।ମହାମାରୀ ଆଣିଥିବା ମହାପ୍ରଳୟ ଭିତରେ ସମସ୍ତ ନିଜ ଜୀବନ ବଞ୍ଚାଇବାକୁ ବ୍ୟସ୍ତ ହେଲେ ଏମାନେ ସାଧାରଣ ହୋଇ ବି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ବିଶାଳ ଉଦାହରଣ।
ତେବେ କହିରଖୁଛୁ ଯେ, ଆଜି ମଧ୍ୟ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ  ୮ ହଜାର ୯୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments
Loading...